Unknown

କୃପାଭିକ୍ଷା ଚଉତିଶା

ଶ୍ରୀମତୀ ନିଶାମଣୀ ଦେବୀ

 

ବିଜ୍ଞପ୍ତି

ଲେଖିକା ମୋର ନୂଆବୋଉ-ସେମାନେ ଆମ୍ଭମାନଙ୍କର ପାରିବାରିକ ଅଘଟନଘଟନରେ ଆମ୍ଭମାନଙ୍କଠାରୁ ଦୂରରେ । ମୋର କିନ୍ତୁ ଜଗତରେ ପର କମ୍‌-ଏପରି ଅନେକଟା ବାସନା ଅନ୍ୟଥା ଥିଲେ ସୁଦ୍ଧା ମୁଁ ପରିବାରରେ ନଗଣ୍ୟ । ତାଙ୍କର ଏତକ ମୁଁ କରି ପାରି ନିଜକୁ କୃତାର୍ଥ ମନେ କଲି ।

 

ଆଉ ଲେଖା-ଏ ବିଷୟରେ ଯୋଗ୍ୟତର ବ୍ୟକ୍ତି ଲେଖିଲେ ଭଲ ହୋଇଥାନ୍ତା-କିନ୍ତୁ ମୋର କ୍ଷୁଦ୍ର ମତରେ ଆଧୁନିକ ଯୁଗରେ କୌଣସି ନାରୀ ଲେଖିକାଙ୍କ ତଳେ ଏହାଙ୍କୁ ଆସନ ଦେବାକୁ ମୁଁ ନାରାଜ । ପାଠକେ ଏହା ବିଚାର କର ।

କୋଠବାଡ଼

ସାଧୁଚରଣ ମହାନ୍ତି

୧୨।୯।୩୨      

ପ୍ରକାଶକ

 

ସ୍ମୃତି

ମୋର ଜୀବନର ମଧ୍ୟାହ୍ନ ଶେଷ ପ୍ରାୟ । ବଟ ଥିଲା ମୋର କଳ୍ପବଟ । ତାକୁ ହରାଇ ମୋର ସମସ୍ତ ସୁଖ ଦୂର ହୋଇଛି । ଆଜି ପ୍ରଭୁ ପଦାରବିନ୍ଦରେ ଆତ୍ମସମର୍ପଣ କରି, ତାଙ୍କ ନିକଟରେ ଏକାନ୍ତ ପ୍ରାର୍ଥନା ମୋର, ତା’ର ସ୍ୱର୍ଗତଃ ସ୍ୱଚ୍ଛ ଅନାବିଳ ଆତ୍ମା ଶାନ୍ତିରେ ରହୁ ।

 

ତା’ର ସ୍ମୃତି ନିମିତ୍ତ ଏହା ଉତ୍ସର୍ଗ କଲି ।

କୋଠବାଡ଼

ତା’ର ଅଭାଗିନୀ

୧୨।୯।୩୨

ବୋଉ

 

ନିଜକଥା

ଜୀବନ ଯେତେବେଳେ କବିତାଭରା ଥିଲା ସେତେବେଳେ ମୋର ଲେଖିବାର ବାସନା ଅତି ବେଶୀଥିଲା । କିନ୍ତୁ କୁଳୀନ କୁଳମାନୀଙ୍କ ପରି ମୋର ସେ ବାସନାଟିକ କ୍ରମେ କ୍ରମବିକାଶ ନ ପାଇ ଆସି ମରିବା ଉପରେ । ତା’ର ସହାୟ ମୁଁ କୁତ୍ରାପି ପାଇ ନ ଥିଲି ।

 

ଦୈବାତ୍‌ ଶ୍ରୀମାନ୍‌ ସାଧୁଚରଣଙ୍କ ସହିତ ଦେଖା ଏବଂ ଏ ପ୍ରସଙ୍ଗ ଉତ୍ଥାପନ । ମୋର ନଗଣ୍ୟ ଲେଖା ପ୍ରତି ସେ ଯେ ଆକୃଷ୍ଟ ହେଲେ କାହିଁକି ମୁଁ ଜାଣେ ନାହିଁ । ସେ ସ୍ୱତଃପ୍ରବୃତ୍ତ ହୋଇ ଏହାର ପ୍ରକାଶକ ହେଲେ, ମୁଁ ମଧ୍ୟ ଏହା ତାଙ୍କୁ ଦେଲି । ଏଥିପାଇଁ ମୁଁ ତାଙ୍କୁ ଆର୍ଶୀବାଦ କରୁଛି; ଆଉ ମଧ୍ୟ କୃତଜ୍ଞ ରହିଲି ତାଙ୍କଠାରେ ।

 

ଆଉପଦେ-ମୋର ଭାତୃଦେବ ଇହ ଜଗତରେ ନାହାଁନ୍ତି-ସେ ଏ ଅଭାଗିନୀକୁ ଏ ଦିଗରେ ଯଥେଷ୍ଟ ଉତ୍ସାହିତ କରିଥିଲେ; ତେଣୁ ତାଙ୍କଠାରେ ଋଣୀ ରହିଛି ।

-ଲେଖିକା-


କରୁଣା ଭଣ୍ଡାର ଥିଲା ପୂରି ।

କିଏ ଘେନିଗଲା ଜୂର କରି ।

କର୍ମ ଅବଳକୁ ନ ପାଇଲି ସେ ତ ଅକ୍ଷୟ କେମନ୍ତେ ଗଲା ସରି,

ଆହେ ବଂଶୀଧାରି !

ଦଂଶି ଦେଲାଣି ଏ ତାପ ସର୍ପପରି ।୧।

ଖୋଜୁ ନାହିଁ ଧନ ସୁଖ ଘର,

କ୍ଷୀର ସ୍ରବିଲେ ସେ ବିଷ ମୋର ।

ଖୋଜୁଅଛି ପ୍ରଭୁ ପଙ୍କଜ-ପୟର ଦେଇ ଏ ହୃଦେ ଶୀତଳ କର

ଆହେ ଚକ୍ରଧର !

ଜଳଅଛି ବହ୍ନି ଅତି ପରଖର ।୨।

ଗୁପ୍ତେ ଏ ଦୁର୍ଦ୍ଦିନ ଥିଲା ବସି,

ଗଲା ମୋ ସୁଖ ସରିତ ଶୋଷି ।

ଗରଳକୁ ମଣି ଅମୃତ ପରାଏ ଭାବି ହେଉଅଛି ଦିବା ନିଶ;

ଆହେ ବ୍ରହ୍ମରାଶି !

ତୁମ୍ଭ କୃପାରେ ସୁପଥ ଯିବ ଦିଶି ।୩।

ଘର ହେଲା ମୋର ଘୋର ବନ;

ଘଟେ ଅଛି ଜୀବ-ହତ ଜ୍ଞାନ ।

ଘେନିଲା ନାହିଁତ ହିତ ଉପଦେଶ ମାୟା ମୋହ ସୂତ୍ରେ ସେ ବନ୍ଧନ;

ଆହେ ଭଗବାନ !

ତୁମ୍ଭ କର ଶାସ୍ତ୍ରେ କି ନୋହିବ ଛିନ୍ନ ।୪।

ଆୟତ୍ତ ନାହିଁ ହୋଇଲି ଭ୍ରମ,

ଆସୁ ନାହିଁ ତୁଣ୍ଡେ ତୁମ୍ଭ ନାମ ।

ଅର୍ଜି ଥୋଇଥିଲି ଏହି ପାପକର୍ମ ଦୁଃସହ ଦୁଃଖେ ଦହୁଛି ମର୍ମ,

ଆହେ ଘନଶ୍ୟାମ !

ଦେହ କାତରେ ହେଲାଣି ଶିଳାସମ ।୫।

ଚଳୁ ନାହିଁ ମୋର ପାଦପାଣି,

ଚରଣ ସ୍ମରଣ ଭୁଲିଲେଣି ।

ଚଣ୍ଡାଳ ଦୁର୍ଗତି ଦେଲା କି କୁମତି ନ ଜାଣିଲି ଆତ୍ମଲାଭ ପୁଣି,

ଆହେ ଚିନ୍ତାମଣି !

ଚକ୍ଷୁ ଥାଉଁ ଅନ୍ଧ ହୋଇ ବସିଲେଣି ।୬।

ଛିଣ୍ଡାଇ ଦିଅ ଏ ମୋହ ପାଶ,

ଛନ୍ଦା ଚରଣରେ ରହୁ ଆଶ ।

ଛାଡିଯାଉ ମୋର ଘୋର ଅନ୍ଧକାର ଦିବ୍ୟ ଚକ୍ଷୁ ଦିଅ ହେଉ ଦୃଶ୍ୟ,

ଆହେ ପୀତବାସ !

ଶାନ୍ତି ଦିଅ ଚିତ୍ତୁ ନାଶି ଅସନ୍ତୋଷ ।୭।

ଯନ୍ତ୍ରଣା ହୋଇଲା ଗରୁ ଟାଣ,

ଜନ୍ତୁପତି ଦଣ୍ଡ ଏ ପ୍ରମାଣ ।

ଜଣାଇବି କିସ ଅନ୍ତଯ୍ୟାମୀ ନାଥ ଅନ୍ତର୍ଗତ ଦୁଃଖ କି ନ ଜାଣ ?

ଆହେ ନାରାୟଣ !

ନାମ ଧଇଲେ ଦୁସ୍ତରୁ ପରିତ୍ରାଣ ।୮।

ଝାଡ଼ ଅରଣ୍ୟ ଏ ଘୋରତମ,

ଝୁଣ୍ଟି ପଡ଼ିଲି ମୁଁ ପାଇ ଶ୍ରମ ।

ଝଟତି ମୋ ହୃଦ ଆକାଶେ ବିରାଜି ଉଜ୍ଜ୍ୱଳକର ପୂର୍ଣ୍ଣେନ୍ଦୁ ସମ,

ଆହେ ରାଧାଶ୍ୟାମ !

ଏହି ଯୁଗଳ ଚରଣ କଳ୍ପଦ୍ରୁମ ।୯।

ନିଷ୍ଠୁର ଅସହ୍ୟ ଦୁଃଖ ଅତି,

ନୋହିଲା ବିଚାର ମୋର ପ୍ରତି ।

ନାମ ବହିଅଛ କୃପାସିନ୍ଧୁ ପରା ନେତ୍ର ଜଳେ ବକ୍ଷ ଯାଏ ତିନ୍ତି;

ଆହେ ରମାପତି !

କେଉଁ ଦୋଷକୁ ଲଭିଲି ଏଡ଼େ ଶାସ୍ତି ।୧୦।

ଟେକି ସୁଧା କ୍ଷୁଧାବେଳେ ଦେଲ,

ଟାକି ଅଛି ଆଶା ଜାଣିଥିଲ ।

ଟୋପାକ ପାଇଁକି କର ପ୍ରସାରିଛି ଛଡ଼ାଇ ଗରଳ ପରସିଲ;

ଆହେ ଆଦିମୂଳ !

ଦୃଷ୍ଟି ପଥରେ ଥୋଇ ତା ହରିନେଲ ।୧୧।

ଠାବ ଏ ଜୀବକୁ ମିଳୁ ନାହିଁ,

ଠକି ଦେଲ ପ୍ରଭୁ କାହିଁପାଇଁ ?

ଠିକେ ଅମଙ୍ଗଳ ନାଶେ ତୁମ୍ଭ ନାମ ଚିନ୍ତିଣ ଅଚିନ୍ତା ଥିଲି ହୋଇ;

ଆହେ ଭାବଗ୍ରାହୀ !

ଜନ୍ମ ପାପିନୀ ତ ପୁଣ୍ୟ ଅର୍ଜି ନାହିଁ ।୧୨।

ଡାକି କହିଅଛ ଗୌରହରି

ଡୁବି ଯିବ ପାପ ନାମ ଧରି ।

ଡେରି ଶ୍ରୃତି ପଥ ନାମ ସଂକୀର୍ତ୍ତନେ କେ କେତେ ଅଧମ ଗଲେ ତରି ।

ଆହେ ଗୌରହରି !

ଯୁଗ ଧର୍ମ ଏ ଅଛ ପ୍ରଚାର କରି ।୧୩।

ଢ଼

ଢ଼ାଳେ ଭକ୍ତଗଣେ ହୋଇ ତୋଷ,

ଢ଼ୋକି ଉଦ୍‌ଗାରିଲେ ନାମ ରସ ।

ଢ଼ାଳି ବହି ଗଲା ବ୍ରହ୍ମାଣ୍ଡ ଭେଦିଲା ପତିତ ତାରି ରଖିଛି ଯଶ,

ଆହେ ବିଶ୍ୱବାସ !

ତୁମ୍ଭ କୃପା ବଳେ ନୋହି ପାରେ କିସ ।୧୪।

ଅନିତ୍ୟ ସଂସାରେ ଦେହ ଧରି

ଆପଦ ସମ୍ପଦ ଅଛି ଘେରି ।

ଏବେ କାହିଁପାଇଁ ମୋ ହୃଦ ମନ୍ଦିରେ ଶଙ୍ଖାରି କରତ ଦେଲ ଭରି;

ହେ ଦଇତାରି !

କରତୁଛି ହିଆ ଧୀର ଧୀର କରି ।୧୫।

ତିଳେ ନ ଘଞ୍ଚିଲା ମନୋବ୍ୟଥା,

ତେଣୁ ଜଣାଉଛି ଏହୁ କଥା ।

ତରିବ କେମନ୍ତେ ଏ ଘୋର ସଂକଟୁ ଜାଳି ଦେଉଅଛି ଚିନ୍ତା ଚିତା;

ଆହେ ଜଗତ୍କର୍ତ୍ତା !

ତୁମ୍ଭେ ଅଟ ସିନା ଏ ଜୀବନ ଦାତା ।୧୬।

ଥିର ନୀରେ ବୁଡ଼ିଗଲା ତରୀ,

ଥୟ ନୁହେ ମତି ତା ବିଚାରି ।

ଥୋଇ ଏ ହୃଦୟାସନେ ପଦ୍ମପାଦ ସେ ବିଷୟ ସୁଖ ନ ସୁମରି;

ଆହେ ନହହରି !

ଏହି ଅନୁଗ୍ରହ ଅଛି ଅନୁସରି ।୧୭।

ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ପାଇ,

ଦଗଧ ପ୍ରାଣେ ଶୀତଳ ନାହିଁ ।

ଦୟାମୟ ଦିନସରା ବୃତ୍ତି ଦିଅ ଏ ଶୋକ ସନ୍ତାପ ନିବର୍ତ୍ତାଇ;

ଆହେ ଲକ୍ଷ୍ମୀସାଇଁ !

ଜାଣ କଣ୍ଠାଗ୍ରତ ପ୍ରାଣ ଅଛି ହୋଇ ।୧୮।

ଧଇର୍ଯ୍ୟ ସମ୍ଭାଳି ବିଚାରିଲି,

ଧ୍ୟାଇ ନାମ ଧନ ଯିବି ଭୁଲି ।

ଧଇଲେ ନାମ ତ ଏ କି ଆଚମ୍ୱିତ ଦି’ଗୁଣେ ଏ ପ୍ରାଣ ଉଠେ ଜଳି;

ଆହେ ବନମାଳି !

ଦୁଃଖ ଛାର ଦେଲା କେଡ଼େ ମହା ବଳୀ ।୧୯।

ନ ଜାଣଇ ଏ କି ପରାଭବ,

ନ ଯାଇ କିମ୍ପା ରହିଛି ଜୀବ ।

ନାହିଁ ଲାଭ ହାନୀ ସ୍ୱର୍ଗ ନର୍କ ବେନି ଯହିଁ ତହିଁ ପ୍ରଭୁ ଠାବ ଦେବ;

ଆହେ ପଦ୍ମନାଭ !

ଏ ତ ତୁମ୍ଭରି ସର୍ଜନା ଅଟେ ସର୍ବ ।୨୦।

ପ୍ରପଞ୍ଚ ପ୍ରକୃତି ସ୍ଥିର ନୋହେ,

ପବନହୁଁ ଗତି ବେଗ ବହେ ।

ପ୍ରଭୁ ନ ଆରାଧି ସଂସାର ବାରିଧି ବିନା-ନାବେ କେହୁ ପାରି ହୁଏ ?

ଆହେ ଦେବରାୟେ !

ମୋର ଦୁର୍ବୁଦ୍ଧିକୁ ଅଛି କି ଉପାୟେ ।୨୧।

ଫିଟିଗଲା ମନ ଧନ ଫାନ୍ଦ,

ଫିଟୁ ନାହିଁ ମୋହ ମାୟାଛନ୍ଦ ।

ଫେରିବ କି ମନ ହେବ ସଦଜ୍ଞାନ ନିରତେ ଚିନ୍ତି ପଦାରବିନ୍ଦ ?

ଆହେ ଆଦିକନ୍ଦ !

କାହିଁ ହରିନେଲ ମୋର ସୁଖାନନ୍ଦ ।୨୨।

ବଟବୃକ୍ଷ ଛାଇ ତଳେ ବାସ,

ବଞ୍ଚିଥାନ୍ତି କରି ଆତ୍ମା ତୋଷ ।

ବିଚାରିଲ ନାହିଁ ଦେଲ ତ ଉପାଡ଼ି ଆଦିତ୍ୟ କିରଣେ ହୁଏ ଧ୍ୱଂସ;

ଆହେ ହୃଷୀକେଶ !

ଏହା ନୁହଇ କି ପୁଣି ତୁମ୍ଭ ଦୋଷ ? ।୨୩।

ଭକ୍ତଙ୍କୁ କରୁଣା ଥାଅ କରି,

ଭରସା ତ ତୁମ୍ଭେ ସବୁଙ୍କରି ।

ଭଣିଛନ୍ତି ଋଷି ସର୍ବ ଘଟେ ବାସ ସ୍ଥାବର ଜଙ୍ଗମେ ଅଛ ପୂରି,

ଆହେ ଗିରିଧାରୀ !

କୀଟୁଁ ବ୍ରହ୍ମ ପରିଯନ୍ତେ ଅଛ ପୂରି ।୨୪।

ମନ ମୋ ନିର୍ବୋଧ ନୁହେ ବୋଧ,

ମୁଁ ଅବା କରିଛି ଅପରାଧ ।

ମନା କରିବାକୁ ନାହିଁ ତୁମ୍ଭ ବଳ ନିଶ୍ଚୟ ଖଣ୍ଡିବ ଏ ବିପଦ,

ଆହେ ଚକ୍ରାୟୁଧ !

ରହିଅଛି ତ ତୁମ୍ଭରି ବିଶ୍ୱ ମଧ୍ୟ ।୨୫।

ଜଗତକରତା ଏକେଶ୍ୱର,

ଜଗଜ୍ଜନ ପିତା ମୂଳାଧାର ।

ଜୀବନେ ମରଣେ ଏ ଜୀବ କାରଣେ ଆନ କାହିଁ ଅଛି ପ୍ରତିକାର ?

ଆହେ ଗଦାଧର !

ଦୋଷୀ ହେଲେହେଁ ଡାକୁଛି ବାର ବାର ।୨୬।

ରଙ୍କ ରତ୍ନ ହରାଇଲା ପରି,

ରହୁ ନାହିଁ ଧୃତ୍ତ ଥୟ ଧରି ।

ରାଜି ନୁହେ ମନ କେଉଁ ବିଷୟରେ ସଂସାର ବେଭାର ଗଲା ସରି,

ଆହେ ମଧୁହାରି !

ଦୁଃଖିନୀର ଦିନ ହେଲା ଯୁଗ ସରି ।୨୭।

ଲୋଭ କଲେ ଲାଭ ନାହିଁ କିଛି,

ଲୁବ୍ଧକ-ବନ୍ଧନେ ପଡ଼ିଅଛି ।

ଲାଳସାରେ ଧରି ଅଛି ସେ ଭକ୍ଷିବ ମୋହର କର୍ତ୍ତବ୍ୟ ନାହିଁ କିଛି;

ଆହେ ନନ୍ଦବତ୍ସି !

ଭୟେ ଅଭୟପଞ୍ଜର ସୁମରୁଛି ।୨୮।

ବାତୁଳ ପରାୟେ ହେଲା ବୁଦ୍ଧି,

ବିଷକୁ ରଖିଛି ମୁଁ ସମ୍ପାଦି ।

ବେଳୁଁ ବେଳ ତନୁ ଜାଳି ଦେଉଅଛି ଏହାକୁ ତ ସମ ନୋହେ ବ୍ୟାଧି,

ଆହେ କୃପାନିଧି !

ତୁମ୍ଭ ମହିମା ତାହାକୁ ମହୌଷଧି ।୨୯।

ସରିଗଲା କେଣେ ସବୁ ସୁଖ,

ସଂସାରେ ହୋଇଲି ମୁଁ ବିମୁଖ ।

ସାର ନର ଦେହ ଦେବତା ବାଞ୍ଛିତ ମୋହ ଭାଗ୍ୟକୁ ଏ ହେଲା ଧିକ,

ଆହେ ପଦ୍ମମୁଖ !

ଆଉ ଏ ଦୁଃଖକୁ ନାହିଁ ଉପଲକ୍ଷ ।୩୦।

ସାରି ଦେଉଅଛି ଅନ୍ତର୍ଦାହା,

ଶୁଭୁନାହିଁ କି କହୁଛି ଯାହା ।

ସୃଷ୍ଟିଯାକ ବିଷ ବୃଷ୍ଟି ମୋ ଦୃଷ୍ଟିକି ଏତେବେଳେ କେ ହୋଇବ ସାହା,

ଆହେ ଚଉବାହା !

ଜନ୍ମକର୍ତ୍ତା ବିନୁ କେ ବୋଲିବ ଆହା ? ।୩୧।

ସହି ନୋହେ ଆଉ ଏ କଷଣ,

ସ୍ୱଚ୍ଛେ କୃପା କର ବିତରଣ ।

ଶରଣ-ବତ୍ସଳ ପ୍ରସନ୍ନ ବଦନେ ସାନ୍ତ୍ୱନା ଦେଇ ରଖ ଏ ପ୍ରାଣ,

ଆହେ ଆର୍ତ୍ତତ୍ରାଣ !

ଆଶା-ସ୍ରୋତେ ଜୀବ କରେ ସନ୍ତରଣ ।୩୨।

ହୃଦେ ବହିଅଛି ଅହି ହାର,

ହରି ! ହରି ନେଇ ବିଷଘୋର ।

ହରି ନାମ ହାର ଦିଅ ମୋ ହୃଦର ଅଭାଗନୀ ମୋତେ ଅଗୋଚର,

ଆହେ ବିଶ୍ୱମ୍ଭର !

ପାପୀ ତାରଣେ ତ ନାହିଁ ପରାପର ।୩୩।

କ୍ଷ

କ୍ଷମା ମାଗୁଅଛି ଅବିରତ,

ଖଣ୍ଡିବାକୁ ମୋର ଏ ଦୁଷ୍କୃତ ।

କ୍ଷମାନିଧିପଦେ କରଇ ଦଇନୀ ପ୍ରଭୃପଣ ନୋହୁ ବିପରୀତ,

ଆହେ ଗୋପୀନାଥ !

ଅର୍ପୁଅଛି ପଦେ ନିଶାମଣୀ ଚିତ୍ତ ୩୪